
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ଏକାଦଶ ଅଭିଯୋଗ ଶୁଣାଣି ରାଜଧାନୀ ଭୁବନେଶ୍ୱରରେ କରିଛନ୍ତି । ଏହି ଅବସରରେ ବାକି ରହିଥିବା ଅଭିଯୋଗଗୁଡିକର ତ୍ୱରିତ ସମାଧାନ ନିମନ୍ତେ ମୁଖ୍ୟମନ୍ତୀ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତକରି ଜନସାଧାରଣଙ୍କର ଅଭିଯୋଗଗୁଡିକ ସେମାନଙ୍କ ନିକଟତମ ସ୍ଥାନରେ ଶୁଣାଣି କରିବାକୁ ଘୋଷଣା କରିଥିଲେ । ତାହା ଜାରି ରଖି ଏପ୍ରିଲ ୨୧ରେ ସେ ସମ୍ବଲପୁରରେ ଅଭିଯୋଗଗୁଡିକର ଶୁଣାଣି କରିଥିଲେ । ସେହି ଘୋଷଣାର ଅଂଶ ଭାବରେ ଭୁବନେଶ୍ୱରରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ପ୍ରାୟ ୧ହଜାର ଆପତ୍ତି ଅଭିଯୋଗ ଅନ୍ଲାଇନରେ ପଞ୍ଜିକୃତ ହୋଇଥିଲା ।
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏହି ଅଭିଯୋଗ ଶୁଣାଣି ସକାଳ ସମୟରେ କରିବାକୁ ସ୍ଥିର କରାଯାଇଥିଲା । ତାହାସହିତ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଜନସାଧାରଣଙ୍କ ସୁବିଧା ନିମନ୍ତେ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା । ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜନସାଧାରଣଙ୍କ ବସିବା ସ୍ଥାନ, ପଙ୍ଖା, କୁଲର ସହିତ ପାନୀୟ ଜଳ ଏବଂ ପାଇଖାନା ଆଦି ସମସ୍ତ ସୁବିଧା ଉପଲବ୍ଧ କରାଯାଇଥିଲା । ଏହି ଅବସରରେ ଦିବ୍ୟାଙ୍ଗ ପାଇଁ ଏକ ସ୍ୱତନ୍ତ୍ର ଉତ୍ସର୍ଗୀକୃତ ଅଭିଯୋଗ ଶୁଣାଣି ବିଭାଗ ରଖାଯାଇଥିଲା ।
ପୂର୍ବରୁ ସମ୍ବଲପୁରରେ ହୋଇଥିବା ଜନଅଭିଯୋଗ ଶୁଣାଣିରେ ମଧ୍ୟ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ସେମାନଙ୍କର ଆପତ୍ତି ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆସିଥିବା ଅଭିଯୋଗଗୁଡିକ ମୁଖ୍ୟତଃ ଜମିଜମା ବିବାଦ, ବାସଗୃହ, ସ୍ୱାସ୍ଥ୍ୟସେବା, ଜଳ ଯୋଗାଣ ଏବଂ ଭିତ୍ତିଭୂମି ସମସ୍ୟା ଆଦି ସମ୍ପର୍କିତ ରହିଥିଲା । ଜନସାଧାରଣ ଉଭୟ ଅନ୍ଲାଇନ ଏବଂ ଅଫଲାଇନରେ ସେମାନଙ୍କର ଅଭିଯୋଗଗୁଡିକ ପଞ୍ଜିକୃତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାମିଲ ହେଉଛନ୍ତି ।