ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ “ଗୁହାରି” ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହର ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସଂସ୍କୃତି ବିଭାଗ, ଓଡ଼ିଶୀ ଗବେଷଣା କେନ୍ଦ୍ର, ଗୁହାରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ କଣ୍ଠଶିଳ୍ପୀ ଓ ଶ୍ରୋତାବୃନ୍ଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଗୁହାରି କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଫଳତା ହାସଲ କରିଛି ଏବଂ ସମସ୍ତ ଶ୍ରୋତା ଓ ଦର୍ଶକମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅର୍ଜନ କରିଛି ବୋଲି ଉପମୁଖ୍ୟମନ୍ତ୍ରୀ ମତପ୍ରକାଶ କରିଥିଲେ।
ଉଦ୍ଯାପନୀ ସନ୍ଧ୍ୟାରେ ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ଗୁରୁ ପ୍ରଫେସର ରାମହରି ଦାସ “ଚନ୍ଦନ ଲାଗି ସମୟେ” ଓ “ଶ୍ୟାମଳ ରୂପ ବନାଉ ସୁନ୍ଦର”, କଣ୍ଠଶିଳ୍ପୀ ମିନାକ୍ଷୀ ରଥ “ଶ୍ୟାମ ପ୍ରେମ ବଡ଼ ମିଠା” ଓ “ଦୟାକର ଦୀନବନ୍ଧୁ”, ସୁଶାନ୍ତ କୁମାର ପଣ୍ଡା “ଜୟ ଜଗବନ୍ଧୁ ହେ ଯଦୁନନ୍ଦନ” ଓ “ମହାବାହୁ ଅଖିଳ ଜଗତନାଥ”, ପ୍ରଜ୍ଞା ହୋତା “ଦୟାକର ଦୀନବନ୍ଧୁ” ଓ “ଆହେ ନୀଳଗିରି”, କରୁଣାକର ସେଠୀ “ମେଘ ମାଳାକୁ ନିନ୍ଦେ କଳାକୁ” ଓ “ନୀଳଚକ୍ରେ ହୋ ଦେଖ ଉଡୁଛି ବାନା”, ଶ୍ରଦ୍ଧାଞ୍ଜଳି ସାହୁ “ଚାଲ ସଖୀ ଆମ୍ଭେ ଦର୍ଶନ କରିବା” ଓ “ଦୁଃଖ ନାଶନ ହେ”, ଅଜୟ କୁମାର ଶତପଥୀ “ମଣିମା ଶୁଣିମା” ଓ “ସବୁଥିରୁ ବଞ୍ଚିତ କରି”, ସୌମ୍ୟା ସମାପ୍ତା ମିଶ୍ର “ମଣି ବିମାନେ ଗୋବିନ୍ଦ” ଓ “କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି”, ଅସିତ କୁମାର ନନ୍ଦ “ଆହେ ନୀଳଗିରି ତୁମ୍ଭ ଶ୍ରୀଭୁଜେ ଦୟଣା” ଓ “ମୋତେ ସେହି ରୂପ ଦେଖାଅ ହରି” ଆଦି ସଙ୍ଗୀତ ପରିବେଷଣ କରିଥିଲେ। କଣ୍ଠଶିଳ୍ପୀମାନଙ୍କୁ ତବଲାରେ ଜଗନ୍ନାଥ ଦାସ, ଢ଼ୋଲକରେ ସୁରେଶ କୁମାର ଦଳେଇ, ବଂଶୀରେ ଅଭିରାମ ନନ୍ଦ, ଅକ୍ଟୋପ୍ୟାଡ଼ରେ ଘନଶ୍ୟାମ ପୃଷ୍ଟି, କିବୋର୍ଡ଼ରେ ଜଗନ୍ନାଥ ମହାନ୍ତି ଏବଂ ହାରମୋନିୟମରେ ବଟକୃଷ୍ଣ ଦାସ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମରେ ସଙ୍ଗୀତଜ୍ଞ ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା, ସଂସ୍କୃତି ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ, ଉପ ନିର୍ଦ୍ଦେଶକ ଡ଼.ଦେବଯାନୀ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶୁଚିସ୍ମିତା ମନ୍ତ୍ରୀ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
